ବିଶ୍ୱରେ ଓଡ଼ିଆ ଅସ୍ମିତାର ପରିଚୟ 


ଏକ ସ୍ୱତନ୍ତ୍ର ଉକ୍ରଳ ପ୍ରଦେଶ ଗଠନ କରିବା ପାଇଁ ଉନ୍ନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ଓଡ଼ିଶାର ଯେଉଁ ବରପୁତ୍ରମାନେ କେବଳ ସ୍ୱପ୍ନ ଦେଖୁନଥିଲେ ବରଂ ସ୍ୱାଧୀନତା ସଂଗ୍ରାମକୁ ଲମ୍ଫ ପ୍ରଦାନ କରି ଏ ମାଟିରେ ଓ ଏ ଜାତିର ସ୍ୱାଭିମାନ ପାଲଟି ଯାଇଥିଲେ ସେମାନଙ୍କ ମଧ୍ୟରେ ଶୀର୍ଷରେ ଥିଲେ କୁଳବୃଦ୍ଧ ଓଡ଼ିଆ ଜାତି ପ୍ରାଣ ପ୍ରତିଷ୍ଠାତା ମଧୁସୂଦନ ଦାସ । ଓଡ଼ିଶାର ପୁରପଲ୍ଲୀରେ ସେ ମଧୁବାରିଷ୍ଟର ଭାବରେ ବେଶ୍ ସୁପରିଚିତ । ସେତେବେଳେ ପ୍ରତ୍ୟେକ ଓଡ଼ିଆ ଶିଶୁର କଣ୍ଠରୁ ଏହି ଲୋକପ୍ରିୟ ଗୀତଟି ଭାସି ଆସୁଥିଲା ।
“ପାଠ ପଢ଼ିବି ପାଠ ପଢ଼ିବି
କାଳିଆ ଘୋଡ଼ାରେ ଚଢ଼ିବି
ମଧୁବାବୁ ସଙ୍ଗେ ଲଢ଼ିବି ।”
ପ୍ରତ୍ୟେକ ମା’ ଏହି ଗୀତକୁ ତା’ର ଶିଶୁକୁ ଶୁଣାଇ ଦେଇ ତାକୁ ପ୍ରେରଣା ଦେଉଥାଏ ମଧୁବାବୁଙ୍କ ପରି ଜଣେ ସଚ୍ଚୋଟ, ସ୍ୱାଭିମାନୀ, ନିଃସ୍ୱାର୍ଥପର, ପରୋପକାରୀ ଓଡ଼ିଆ ହେବା ପାଇଁ । ପ୍ରକୃତରେ ମଧୁବାବୁ ଥିଲେ ଏ ଓଡ଼ିଆ ଜାତିର ଚିରଅମ୍ଳାନ ପ୍ରତିଭା ସମ୍ପନ୍ନ ଯଶସ୍ୱୀ ସ୍ୱାଭିମାନୀ ଭୌମିକ ପୁରୁଷ । ଆଜିବି ଏ ଓଡ଼ିଆ ଜାତି ମଧୁବାବୁଙ୍କୁ ନେଇ ଅଜସ୍ର ଗର୍ବ ଆଉ ଅଭିମାନରେ ଫାଟିପଡ଼େ । ସେ ହିଁ ଥିଲେ ଏ ଉକ୍ରଳ ମାଟିର ଯୋଗ୍ୟ ସନ୍ତାନ । ତାଙ୍କର ନିର୍ଭୀକତା, ଉଦାରତା, ସ୍ପଷ୍ଟବାଦିତା ଓ କର୍ତ୍ତବ୍ୟପରାୟଣତା, ସାହସିକତା ତାଙ୍କୁ ଆଜି ଏ ଓଡ଼ିଆ ଜାତି ପାଖରେ ଅମର କରି ରଖିଛି । ଓକିଲାତିକୁ ପେସା କରି ମଧୁବାବୁ ଚାହିଁଥିଲେ ଅଜସ୍ର ଟଙ୍କା ଉପାର୍ଜନ କରି ଆନନ୍ଦ ଭୋଗବିଳାସପୂର୍ଣ୍ଣ ଜୀବନଯାପନ କରି ମହାଆନନ୍ଦରେ ଆଜିର ଯୁବପିଢ଼ିପରି ବିଦେଶରେ ରହିପାରିଥାନ୍ତେ । ମାତ୍ର ମଧୁବାବୁ ଥିଲେ ଏହାର ସମ୍ପୂର୍ଣ୍ଣ ବ୍ୟତିକ୍ରମ । ସେ ପ୍ରଜ୍ଞାପୁରୁଷ ଓଡ଼ିଆ ଜାତି ପାଇଁ, ଓଡ଼ିଆ ଭାଷାର ଉନ୍ନତି ପାଇଁ, ନାରୀଶିକ୍ଷାର ବିକାଶ ପାଇଁ ନିଜର ଉପାର୍ଜିତ ଅର୍ଥକୁ ସମ୍ପୂର୍ଣ୍ଣ ବ୍ୟୟ କରି ବରଂ ନିଃସ୍ୱ ଦରିଦ୍ର ହେବା ପାଇଁ ଆଦୌ କୁଣ୍ଠାପ୍ରକାଶ କରିନଥିଲେ । ଏମିତି ବୀର ସ୍ୱାଭିମାନୀ, ନିର୍ଭୀକ, ଉଦାର ଚିନ୍ତାଧାରାର ବ୍ୟକ୍ତି ପ୍ରକୃତରେ କେବଳ ଓଡ଼ିଶାରେ କାହିଁକି, ସମଗ୍ର ଭାରତବର୍ଷରେ ମଧ୍ୟ ବିରଳ । ପ୍ରକୃତରେ ସେ ଥିଲେ ଏ ଓଡ଼ିଆ ଜାତିର ପଥପ୍ରଦର୍ଶକ ଓ ଚିର ସ୍ୱାଭିମାନ ଓ ସର୍ବୋପରି ଗର୍ବ ଓ ଗୌରବ । ଆମ ଓଡ଼ିଶାର ମହାନ ପରମ୍ପରା, ସଂସ୍କୃତି, ଐତିହ୍ୟ, କଳା, ସ୍ଥାପତ୍ୟ, ଭାସ୍କର୍ଯ୍ୟ, ସାହିତ୍ୟ, ଦର୍ଶନ ତତ୍ତ୍ୱକୁ ଯଦି କିଏ ବିଶ୍ୱ ଦରବାରରେ ପହଞ୍ଚାଇଥିଲେ, ସେ ଥିଲେ ଏକମାତ୍ର ବୀରପୁରୁଷ ମଧୁବାବୁ । ଅନ୍ୟାୟ, ଅତ୍ୟାଚାର, ଇଂରେଜମାନଙ୍କ ଅହଂକାର ବିରୁଦ୍ଧରେ ଏ ଜାତି ସବୁବେଳେ ବିଦ୍ରେହ କରିଛି, ବିପ୍ଳବ କରିଛି । କିନ୍ତୁ କେବେବି ମୁଣ୍ଡନୁଆଇଁ ନିଜ ସ୍ୱାଭିମାନକୁ ବଳି ପକାଇନାହିଁ । ବରଂ ଗର୍ବରେ କହେ ମୁଁ ଓଡ଼ିଆ । ମୋ ଭାଷା ଓଡ଼ିଆ ମୋ ଜାତି ଓଡ଼ିଆ ।
ମଧୁବାବୁଙ୍କର ସେଇ ଗୋଟିଏ ଉକ୍ତି ମଧୁବାବୁଙ୍କର ଆଜି ବି ପ୍ରତ୍ୟେକ ଓଡ଼ିଆଙ୍କୁ ଚଳଚଞ୍ଚଳ କରି ଓଡ଼ିଶାକୁ ବିକାଶପଥରେ ଆଗେଇ ନେବା ପାଇଁ ପ୍ରେରଣା ଦିଏ । ସେ ଲେଖିôଥିଲେ ତାଙ୍କ କବିତାରେ–
‘ ତୁ ପରା ବୋଲାଉ ଉକ୍ରଳ ସନ୍ତାନ
ତେବେ କିଂପା ତୁହି ଭୀରୁ
ତୋହର ଜନନୀ ରୋଦନ କରିଲେ
କହିବାକୁ କିଂପା ଡରୁ ାା’
ମଧୁବାବୁ ୨୮ ଏପ୍ରିଲ ୧୮୪୮ ମସିହାରେ କଟକ ଜିଲ୍ଲାର ସତ୍ୟଭାମାପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଇଂରାଜୀ ଶିକ୍ଷା ପ୍ରତି ତାଙ୍କର ପ୍ରବଳ ଅନୁରାଗ ଥିଲା । ପରେ ଖ୍ରୀଷ୍ଟଧର୍ମ ପ୍ରତି ଆକୃଷ୍ଟ ହୋଇ ଖ୍ରୀଷ୍ଟିୟାନ ହୋଇଯାଇଥିଲେ । ସେ ହିଁ ଥିଲେ ଏମ୍.ଏ. ଏବଂ ବି.ଏଲ୍ କରିଥିବା ପ୍ରଥମ ଓଡ଼ିଆ । ଓଡ଼ିଶାର ବିକାଶ ପାଇଁ ଏବଂ ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି ପାଇଁ ଯଦି କିଏ ନିଜକୁ ଉତ୍ସର୍ଗ କରି ଅପାର ଆନନ୍ଦ ଲାଭ କରିଥିଲେ, ସେ ହେଉଛନ୍ତି ମଧୁବାବୁ । ୧୮୭୮ରେ ସଚେତନ ନାଗରିକମାନେ ସେ ଦିନ ଉକ୍ରଳସଭା ନାମକ ଏକ ଅଣରାଜନୈତିକ ସଂଗଠନ ଗଢ଼ିଥିଲେ । ଗୌରୀଶଙ୍କର ରାୟଙ୍କ ଦ୍ୱାରା ପ୍ରଭାବିତ ହୋଇ ମଧୁବାବୁ ମଧ୍ୟ ଏହାର ସଭ୍ୟ ହୋଇଥିଲେ । ୧୮୮୮ରେ ଭାରତୀୟ ଜାତୀୟ କଂଗ୍ରେସର ମାନ୍ଦ୍ରାଜ ଅଧିବେଶନରେ ମଧୁବାବୁ ଓ ଗୌରୀଶଙ୍କର ରାୟ ଓଡ଼ିଶାର ପ୍ରତିନିଧିତ୍ୱ କରିଥିଲେ । ୧୯୦୩ ମସିହାରେ ମଧୁବାବୁ ପ୍ରତିଷ୍ଠା କଲେ “ଉକ୍ରଳ ସମ୍ମିଳନୀ” । ପ୍ରଥମେ ଯେତେବେଳେ କଟକଠାରେ ପ୍ରଥମ ଅଧିବେଶନ ଆରମ୍ଭ ହୋଇଥିଲା । ଏହି ସମ୍ମିଳନୀରେ ଅଧ୍ୟକ୍ଷତା କରିଥିଲେ ମୟୁରଭଞ୍ଜର ମହାରାଜ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ । ଉକ୍ରଳ ସମ୍ମିଳନୀର ଅଧିବେଶନଗୁଡ଼ିକରେ ଭାଷଣ ଦେଇ ମଧୁବାବୁ ଓଡ଼ିଆମାନଙ୍କୁ ସେଦିନ ସ୍ତମ୍ଭୀଭୂତ କରିଦେଇଥିଲେ । ସବୁ ଓଡ଼ିଆ ଏକତ୍ରିତ ହୋଇ ଉକ୍ରଳ ଜନନୀର ସେବାରେ ନିଜକୁ ନିୟୋଜିତ କରିବା ପାଇଁ ଆହ୍ୱାନ ଦେଇଥିଲେ ମଧୁବାବୁ । ୧୯୦୩ରେ ମାନ୍ଦ୍ରାଜ ଅଧିବେଶନରେ ଯେତେବେଳେ ଭାରତୀୟ ଜାତୀୟ କଂଗ୍ରେସ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀ କରଣକୁ ସମର୍ଥନ କରିନଥିଲା । ମଧୁବାବୁ ବାଧ୍ୟ ହୋଇ କଂଗ୍ରେସ ସହିତ ନିଜର ସମ୍ପର୍କ ଚ୍ଛିନ୍ନ କରିଥିଲେ । ୧୯୦୨ ମସିହାରେ “ବଙ୍ଗ ଲେଜିସ୍ଲେଟିଭ୍ କାଉନସିଲ୍”ର ପ୍ରତିନିଧିଭାବେ ମଧୁବାବୁ ରେଭେନ୍ସା ମହାବିଦ୍ୟାଳୟର ଉନ୍ନତି ପାଇଁ ଅନୁଦାନ ଦେବାକୁ ସରକାରଙ୍କ ଉପରେ ଚାପ ପକାଉଥିଲେ । ୧୯୦୯ରେ ସେ ପୁନର୍ବାର କାଉନସିଲକୁ ନିର୍ବାଚିତ ହୋଇ ଓଡ଼ିଶାରେ ଏକ ଆଇନ୍ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସେଠାରେ ସେ ଯୁକ୍ତି ମଧ୍ୟ ବାଢ଼ିଥିଲେ । ନାରୀ ଶିକ୍ଷାର ପ୍ରସାର ପାଇର୍ ସେ ମହିଳା ଟ୍ରେନିଂ ସ୍କୁଲ ଖୋଲିବାକୁ ନିଜର ଦାବି ଉପାସ୍ଥାପନ କରିଥିଲେ । ୧୯୦୭ ମସିହାରେ ଓଡ଼ିଶାର ଏକମାତ୍ର ବାଳିକା ବିଦ୍ୟାଳୟ ବନ୍ଦ ହେବା ପରିବର୍ତ୍ତେ ତାଙ୍କର ପାଳିତ କନ୍ୟା ଶୈଳବାଳା ମୁଖ୍ୟ ଶିକ୍ଷୟିତ୍ରୀ ଭାବରେ ଏହାର ଦାୟିତ୍ୱ ନେଇ ଏହାକୁ ପ୍ରତିଷ୍ଠିତ କରିଥିଲେ ଭବିଷ୍ୟତରେ ଯାହା ଶୈଳବାଳା ମହାବିଦ୍ୟାଳୟ ରୂପେ ନାରୀଶିକ୍ଷାକୁ ପ୍ରସାରିତ କରିଥିଲେ ।
ଓଡ଼ିଶାରେ ତାରକସି ଶିଳ୍ପର ବିକାଶ ପାଇଁ ସେ ଉଦ୍ୟମ କରିବା ସହ ଓଡ଼ିଶା ଆର୍ଟ ୱାୟରସ୍ ସ୍ଥାପନ କରିଥିଲେ । ଚମଡ଼ା ଶିଳ୍ପର ବିକାଶ ପାଇଁ ମଧ୍ୟ “ଉକ୍ରଳ ଟ୍ୟାନେରୀ” ନାମରେ ଯୋତା କାରଖାନା ପ୍ରତିଷ୍ଠା କରି ଓଡ଼ିଶାକୁ ବିଶ୍ୱଦରବାରରେ ପରିଚିତ କରାଇପାରିଥିଲେ । ତାଙ୍କରି ଉଦ୍ୟମରେ ତାଳଗୁଡ଼ କାରଖାନା ମଧ୍ୟ ସ୍ଥାପିତ ହୋଇଥିଲା । ୧୯୧୭ରେ ଇଂରେଜ ସରକାର ପୁରୀ ଜଗନ୍ନାଥ ମନ୍ଦିରର ପରିଚାଳନା ଦାୟିତ୍ୱ ଯେତେବେଳେ ଡେପୁଟି ମାଜିଷ୍ଟ୍ରେଟ୍ଙ୍କୁ ନିଯୁକ୍ତି ଦେଇଥିଲେ ମଧୁବାବୁ ଏହା ବିରୁଦ୍ଧରେ କଲିକତା ହାଇକୋର୍ଟରେ ଏକ ମୋକଦ୍ଦମା ଦାୟର କରି ପୁରୀ ଗଜପତି ମହାରାଜାଙ୍କୁ ଏହି ପରିଚାଳନା ଦାୟିତ୍ୱ ଦେବା ପାଇଁ ଯୁକ୍ତିବାଢ଼ି ସଫଳ ହୋଇଥିଲେ । ସେହିଦିନଠାରୁ ମଧୁବାବୁ ସବୁଠି ମଧୁବାରିଷ୍ଟର ରୂପେ ପରିଚିତ ହେଲେ । ମଧୁବାବୁ ଫେବୃଆରୀ ୪ ତାରିଖ ୧୯୩୪ ମସିହାରେ ମୃତୁ୍ୟବରଣ କଲେ, ଏହାର ମାତ୍ର ଦୁଇବର୍ଷପରେ ୧୯୩୬ ମସିହାରେ ତାଙ୍କରି ଅପ୍ରାଣ ଉଦ୍ୟମ ଯୋଗୁ ସ୍ୱତନ୍ତ୍ର ଉକ୍ରଳ ପ୍ରଦେଶ ଗଠନ ସମ୍ଭବ ହୋଇଥିଲା । ପ୍ରଚଣ୍ଡ ସ୍ୱାଭିମାନୀ, ପ୍ରାଜ୍ଞ ପୋଖତ ରାଜନୀତିଜ୍ଞ, ଶିଳ୍ପପତି, ସମାଜସଂସ୍କାରକ ରୂପେ ଆଜି ବି ଓଡ଼ିଶାର ଜନମାନସରେ ଏହି କିମ୍ବଦନ୍ତୀ ପୁରୁଷ ତଥା ଭୌମିକ ସ୍ୱାଧୀନତା ସଂଗ୍ରାମୀ, ଏ ଓଡ଼ିଆ ଜାତିର ସ୍ୱାଭିମାନ ଭାବେ ଉଦୀୟମାନ ହୋଇଛନ୍ତି । ହେ ମହାନ୍ ବରପୁତ୍ର! ଶେଷରେ ବିନମ୍ର ନିବେଦନ ଏ ଓଡ଼ିଆ ଜାତିର ଘେନ ପ୍ରଣାମ ।
ମୋ:୯୮୫୩୩୫୦୩୮୪